ଯୋଗାଭ୍ୟାସର ଆବଶ୍ୟକତା 


ଯୋଗ ବା ଆସନ ଭାରତ ପାଇଁ କିଛି ନୂଆ କଥା ନୁହେଁ  । ଏହା ଭାରତର ନିଜସ୍ୱ ସ୍ୱାସ୍ଥ୍ୟ ବିଜ୍ଞାନ  । ପରବର୍ତ୍ତୀ ସମୟରେ ଏହାର ଗୁରୁତ୍ୱ ଉପଲବ୍ଧô କରି ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନେ ଭାରତରୁ ଏ ବିଦ୍ୟା ଗ୍ରହଣ କଲେ ଏବଂ ଉପକୃତ ହେଲେ  । ‘ଆମରି ସ୍ୱାସ୍ଥ୍ୟ, ଆମ ଜୀବନ’ ଦୃଷ୍ଟିରୁ ଏହାକୁ ଆନ୍ତର୍ଜାତିକ ସ୍ତରରେ ବିଚାର କରି ‘ସର୍ବଜନ ଏବଂ ସର୍ବବିଶ୍ୱ’ ଗ୍ରହଣାର୍ଥେ ତଥା ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘର ବିଶ୍ୱ ସ୍ୱାସ୍ଥ୍ୟ ସଂଘ ତରଫରୁ ଗତ ୨୦୧୪ରେ ଜୁନ ୨୧ ତାରିଖକୁ ପ୍ରତିବର୍ଷ ଯୋଗ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି ଏବଂ ସେହି ଅନୁସାରେ ଜୁନ୍ ୨୦୧୫ରେ ଏହା ବିଶ୍ୱରେ ପ୍ରଥମକରି ପାଳନ କରାଗଲା । ଏଥିରେ ଜାତିସଂଘ ଅନ୍ତର୍ଭୁକ୍ତ ୧୯୧ଟି ରାଷ୍ଟ୍ରରେ ୨୫୧ଟି ସ୍ଥାନର କିଛି ଝଲକ ଗଣମାଧ୍ୟମ ଏବଂ ସର୍ବୋପରି ଦୂରଦର୍ଶନ ଜରିଆରେ ପ୍ରସାରଣ କରାଯାଇଥିଲା  । ଏଥିରେ ପାଖାପାଖି ୧୦କୋଟି ଲୋକ ଅଂଶଗ୍ରହଣ କରିଥିଲେ  । ଏହା ମଧ୍ୟ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନିତ ହୋଇଛି  ।
ଯୋଗ ଏକ ଆସନ, ଏକ ବିଜ୍ଞାନ ଏବଂ ଏକ ଚିକିସôା ଯାହାର ଅଭ୍ୟାସ ଦ୍ୱାରା କେବଳ ରୋଗର ଚିକିସôା କରାଯାଏ ନାହିଁ ଅପରନ୍ତୁ ରୋଗକୁ ଶରୀର ମଧ୍ୟରେ ପ୍ରବେଶ କରିବାକୁ ଦିଏ ନାହିଁ  । ରୋଗ ହେବା ପୂର୍ବରୁ ସେତାକୁ ନିବାରଣ କରିଥାଏ  । ଏହା ଶାରୀରିକ, ମାନସିକ, ପ୍ରାବଣିକ ଏବଂ ଆତ୍ମିକ ସନ୍ତୁଳନ ରକ୍ଷା କରେ  । ଏହା ଶିଶୁଠାରୁ ବୟସ୍କ ବା ବୃଦ୍ଧ ଯାଏଁ ସର୍ବ ସାଧାରଣ: ଯୋଗୀ, ରୋଗୀ ଏବଂ ଭୋଗୀଙ୍କ ପାଇଁ ଆବଶ୍ୟକ ଅଟେ  । 
ବହୁ ପୁରାତନ କାଳରୁ ଆମର ଯୋଗୀ ୠଷିମାନେ ଯୋଗାସନ କରି ଆସୁଛନ୍ତି  । ଯୋଗାଭ୍ୟାସ ପାଇଁ କେତେକ ସ୍ୱାସ୍ଥ୍ୟ ପ୍ରଦାୟକ ଆସନ ଅଛି, ପ୍ରତିଟି ଯୋଗ ବା ଆସନର ଶରୀର ପ୍ରତି ନିର୍ଦ୍ଧିଷ୍ଟ ଉପକାରିତା ଅଛି  । ଏଠାରେ କେତୋଟିର ଉପସ୍ଥାପନା କଲୁ  । ଭୁଜଙ୍ଗାସନ ଦ୍ୱାରା ପେଟ, ଅଣ୍ଟା, ଛାତି ଓ ପେଟର ପେଶୀମାନଙ୍କ ଉପରେ ଚାପପଡ଼ିବା ଦ୍ୱାରା ସେମାନଙ୍କର ହଜମ ଶକ୍ତି ବୃଦ୍ଧିପାଏ  । ଏ ଆସନ ବାଳକ ଓ ସ୍ତ୍ରୀମାନଙ୍କ ପାଇଁ ଜରୁରି  । ଏଥିରେ ଜରାୟୁ ଜନିତ ଯେ କୌଣସି ବ୍ୟାଧି ଦୂର ହୁଏ  ।  ଧନୁରାସନ ଦ୍ୱାରା ଅଜୀର୍ଣ୍ଣ, ବାତ ଓ ମଳମୂତ୍ର ଇତ୍ୟାଦି ରୋଗରୁ ରକ୍ଷାକରେ  । ପେଟରେ ମେଦବୃଦ୍ଧି ଦୂରକରେ  । ପ୍ଲୀହା ଓ ଯକୃତର ଦୋଷ ନଷ୍ଟ କରେ, କୋଷ୍ଠ କାଠିନ୍ୟ ଦୂରକରି ହଜମଶକ୍ତି ବଢ଼ାଏ ଏବଂ ଆଳସ୍ୟ ଦୂରକରେ  । 
 ପ୍ରାଣାୟମ, ଜପ, ଧ୍ୟାନ ଏବଂ ମନର ଏକାଗ୍ରତା ଆଣିବା ପାଇଁ ପଦ୍ମାସନ ସର୍ବଶ୍ରେଷ୍ଠ ଯୋଗାସନ  । ଏହି ଆସନ ଦ୍ୱାରା ଫୁସ୍ଫୁସ୍ ଶୁଦ୍ଧହୁଏ, ଜ୍ଞାନ ତନ୍ତୁମାନଙ୍କୁ ଅଧିକ ଶକ୍ତିମିଳେ, ଛାତିର ଅଧିକାଂଶ ରୋଗରୁ ରକ୍ଷାମିଳେ । ଯୋଗ ମୁଦ୍ରା ଆସନ ଦ୍ୱାରା ଯେତେ ପୁରାତନ ହେଉନା କାହିଁକି କୋଷ୍ଠବଦ୍ଧତା, ଆମାଶୟ ଦୂର ହୁଏ  । ରୋଗୀଙ୍କ ପାଇଁ ଏ ଆସନ ଜରୁରି ଅଟେ  । ବଜ୍ରାସନ ଏକ ବାତ ନାଶକାରୀ ଆସନ  । ଏହାଦ୍ୱାରା ଶ୍ୱାସକ୍ରିୟା ମନ୍ଥର ହୁଏ; ମନର ଚଞ୍ଚଳତା ଦୂରହୁଏ, ଶରୀର ନୀରୋଗ ଓ ସୁନ୍ଦରହୁଏ  । 
ଆସନ ପାଇଁ କିଛିଟା ସତର୍କତା ଅଛି  । ସବୁ ଆସନ ସମସ୍ତଙ୍କ ପାଇଁ ସାଧାରଣ ନୁହେଁ  । ବୟସ ନେଇ କେତେକ ଆସନ ଶିଶୁ ଓ ବୃଦ୍ଧଙ୍କ ପାଇଁ ମନା  । ଅନ୍ୟାନ୍ୟ ଶାରୀରିକ ଅସୁବିଧା ଥିଲେ ଆସନ ମନା  । ପୁନଶ୍ଚ ଆସନ ସବୁ ସମୟରେ କରାଯାଏ ନାହିଁ  । ମୁଖ୍ୟତଃ ଅଧିକାଂଶ ଯୋଗ ବା ଆସନ ସକାଳେ ହେଲେ ହେଁ, କେତେକଙ୍କୁ ଅନ୍ୟାନ୍ୟ ସମୟରେ ନିର୍ଦ୍ଧିଷ୍ଟ କରାଯାଇଛି । ଏଥି ପାଇଁ ଯୋଗଗୁରୁଙ୍କ ପରାମର୍ଶ ନେଇ ଆସନ କରିବା ଭଲ  ।
ବିପିନ ବିହାରୀ ମହାନ୍ତି
 ଜଟଣୀ, ଖୋର୍ଦ୍ଧା
ମୋ:୯୯୩୮୩୪୪୧୩୮୍